Unknown

 

 

 

 

 

 

 

 

 

 

 

କାଉଁରୀ ମୁଦି

ଶ୍ରୀ ଚନ୍ଦ୍ରଶେଖର ପଣ୍ଡା

 

–ଏକ–

 

ସତ୍ୟପୁରର ରାଜା ସତ୍ୟବ୍ରତଙ୍କର ବଡ଼ପୁଅ ବିଜୟକୁମାର କେମିତି କାଉଁରୀ ରାଇଜରେ ପହଞ୍ଚିଲା, କେମିତି କାଉଁରୀ ରାଇଜ ରାଜା ପୁଷ୍ପକେତୁଙ୍କର ବଡ଼ଝିଅ ବସନ୍ତମଞ୍ଜରୀକୁ ବିଭାହୋଇ କାଉଁରୀ ଦର୍ପଣ ପାଇଲା, ପୁଣି ତାକୁ ଘେନି ଆସୁଥିବା ସମୟରେ କେମିତି ସେ ଦୁହେଁ ତିନିମୁଣ୍ଡିଆ ଅସୁର ହାତରେ ଧରାପଡ଼ି ମାୟା ପର୍ବତରେ ବନ୍ଦୀ ହେଲେ, ସେ କଥା ତୁମେ ଜାଣିଛ । ତା’ପରେ କଅଣ ହେଲା ଶୁଣିବ ?

 

ବଡ଼ଭାଇ ବିଜୟକୁମାରକୁ ବିଦାୟଦେଇ ଛଅ ଭାଇଯାକ ଫେରିଆସିଲେ । ସେଦିନ ବଣରେ ବୁଲିବୁଲି ସେମାନେ ଶିକାର କଲେ । ତହିଁ ପରଦିନ ସକାଳେ ବିଜୟକୁମାରର ତଳଭାଇ ଅଜୟକୁମାର ନିଜର ପାଞ୍ଚ ଭାଇଙ୍କଠାରୁ ବିଦାୟନେଇ ପଶ୍ଚିମ ଦିଗକୁ ମୁହଁକରି ବାହାରିଗଲା । ପାଞ୍ଚ ଭାଇଯାକ ସେଦିନ ବଣରେ ବୁଲି ବୁଲି ଶିକାର କଲେ । ଫଳମୂଳ ଖାଇ ଦିନଟି କଟାଇଲେ । ରାତି ହେଲାରୁ ସମସ୍ତେ ଆସି ସେଇ ଗଛପାଖରେ ପହଞ୍ଚି ଦୁଃଖସୁଖ ହେଲେ । କ୍ରମେ ରାତି ବେଶୀ ହେଲା । ପାଞ୍ଚ ଭାଇଯାକ ସମସ୍ତେ ସେହି ଗଛମୂଳରେ ଶୋଇପଡ଼ିଲେ ।

 

ପଶ୍ଚିମ ଦିଗକୁ ମୁହଁକରି ଯାଉ ଯାଉ ଅଜୟକୁମାର ଯାଇ ପହଞ୍ଚିଲା, ଗୋଟାଏ ଅଗନାଅଗନି ବନସ୍ତ ଭିତରେ । ବାଟ ଚାଲିବାରେ ସେ ଲାଗିଥାଏ, ହେଲେ ବାଟ ସରୁ ନଥାଏ; କଣ୍ଟା ଆଡ଼େଇ ଆଡ଼େଇ ଚାଲିଥାଏ । ଏହିପରି ଭାବରେ ସଞ୍ଜ ହେଲା; କିନ୍ତୁ ସେଇ ବଣଖଣ୍ଡକ ସେ ପାରିହୋଇ ପାରିଲାନି । ରାତି ସାଡ଼ି ଆସୁଛି ଦେଖି ଅଜୟ ବଣ ଭିତରେ ଗୋଟାଏ ବଡ଼ ଗଛରେ ଚଢ଼ି ବସିରହିଲା ।

 

ସେଇ ଗଛରେ ଦୁଇଟି ବଗ ବଗୁଲୀ ରହୁଥାନ୍ତି । ସେମାନେ ରାତିରେ ଗଛର ଉପର ଡାଳରେ ବସି କଥାବାର୍ତ୍ତା ହେଉଥିଲେ । ବଗୁଲୀ ବଗକୁ ପଚାରିଲା–‘‘ଆମେ ଏଇ ଯେଉଁ ଗଛରେ ରହିଅଛେଁ, ଆଜି ସେ ଗଛରେ ଜଣେ ମଣିଷ ଆସି ରହିଛି । ଏ ବଣକୁ ତ ଜନ ମାନବ କେହି କେବେ ଆସନ୍ତିନି, ଏ ଆସିଛି କାହିଁକି ?’’

 

ଏକଥା ଶୁଣି ବଗ କହିଲା–‘‘ଏ ହେଉଛି ସତ୍ୟପୁରର ରାଜା ସତ୍ୟବ୍ରତଙ୍କ ପୁଅ ଅଜୟକୁମାର । ଏମାନେ ସାତଭାଇ । କାଉଁରୀ ଦେଶକୁ ଯାଇ ଏମାନେ କାଉଁରୀ ରଜାର ଭଣ୍ଡାରରୁ ଭଲ ଭଲ ଜିନିଷ ଆଣିବାକୁ ବାହାରିଛନ୍ତି । ବଡ଼ଭାଇ ବିଜୟ ଦିନକ ଆଗରୁ ବାହାରି ଯାଇଛି । ଆଉ ୟାର ପାଳି । ହେଲେ କଅଣ ହବ, ଏ ଯଦି ପଶ୍ଚିମ ଦିଗ ଛାଡ଼ି ପୂର୍ବ ଦିଗକୁ ଯାଆନ୍ତା ତେବେ ଭଲ ହୁଅନ୍ତା । ନହେଲେ କାଲି ଏ ଟୋକାକୁ ଘୋଡ଼ାମୁଣ୍ଡିଆ ଅସୁର ଧରିନବ । ତା’ ପାଖରୁ ଖସିବା ସହଜ କଥା ନୁହେଁ ।’’

 

ବଗୁଲୀ କହିଲା–‘‘ହଁ, ମୁଁ ଘୋଡ଼ାମୁଣ୍ଡିଆ ଅସୁର କଥା ଜାଣେ । ସେ ଅନେକ ଦିନ ହେବ ଏ ବଣରେ ରହି ଉତ୍ପାତ କରୁଛି । ଆଚ୍ଛା, ତାକୁ କ’ଣ କେହି ମାରିପାରିବେନି ?’’

 

ବଗ କହିଲା–‘‘ସେ ସହଜରେ ମରିବା ଜନ୍ତୁ ନୁହେଁ, ତାକୁ ମାରିବାକୁ ପୁଣି ଲୋକ କିଏ ଜନମ ହେଲାଣି, ନା ହବ ? ତା’ର ଗୋଟାଏ ଘୋଡ଼ା ଅଛି । ସେ ଘୋଡ଼ା ଜଳ, ସ୍ଥଳ, ଆକାଶ–ସବୁ ବାଟରେ ଯାଇପାରିବ । ମନକଲେ ସେ ଘୋଡ଼ା ନିଜର ରୂପ ବଦଳାଇ ପାରିବ । ପୁଣି ସେହି ଘୋଡ଼ାର କାନ ଭିତରେ ଫରୁଆଟିଏ ଅଛି । ସେହି ଫରୁଆ ଭିତରେ ଗୋଟିଏ ପୋକ ଅଛି । ସେଇ ପୋକକୁ ଯଦି କେହି ଦଳି ମାରିଦବ, ତେବେ ସେ ଅସୁର ମରିବ । ଆଉ ଯେ ଅସୁରକୁ ମାରିଥିବ ଘୋଡ଼ାଟା ତା’ର ହବ । କିନ୍ତୁ ଘୋଡ଼ାର କାନ ଭିତରୁ ସେ ଜିନିଷ ଆଣିବା କାଠିକର ପାଠ । ଦଶକୋଶ ଦୂରରୁ ଘୋଡ଼ା ମଣିଷର ଗନ୍ଧ ବାରିପାରିବ ଓ ସାଙ୍ଗେ ସାଙ୍ଗେ ହୁସିଆର ହୋଇ ଅସୁରକୁ ସାବଧାନ କରାଇଦବ ।’’

 

ରାତି ବହୁତ ହୋଇଯାଇଥିଲା । ବଗ ବଗୁଲୀ ଦିହେଁ ଶୋଇବାକୁ ବାହାରିଗଲେ ।

 

ସତ୍ୟପୁରର ଲୋକେ ଗଛ ପତର, ପଶୁ ପକ୍ଷୀଙ୍କ ସଙ୍ଗେ କଥାବାର୍ତ୍ତା ହୁଅନ୍ତି । ତେଣୁ ଅଜୟକୁମାର ତାଙ୍କ କଥା ଶୁଣି ପାରିଥିଲା । ପଶ୍ଚିମ ଦିଗ ଦେଇ ଗଲେ ବହୁତ ବିପଦ ଆସିବ ବୋଲି ଜାଣି ମଧ୍ୟ ଅଜୟକୁମାର ସେଇ ପଶ୍ଚିମ ଦିଗକୁ ବାହାରିଲା । ଜଣେ ଜଣେ ଗୋଟିଏ ଲେଖାଏଁ ଦିଗକୁ ଯିବେ ବୋଲି ଆଗରୁ ପ୍ରତିଜ୍ଞା କରିଥିଲେ । ସେ ସେଇ ଅଗନାଅଗନି ବନସ୍ତ ଭିତରେ ପଶ୍ଚିମ ଆଡ଼କୁ ମୁହଁକରି ଯିବାକୁ ଲାଗିଲା ।

 

ସେତେବେଳକୁ କଅଁଳ ଗାଧୁଆବେଳ ହେଲାଣି । ଅଜୟକୁମାର ଗୋଟାଏ ଝରଣା ପାଖରେ ବସି କିଛି ସମୟ ଥକ୍‍କା ମେଣ୍ଟାଇଲା । ତା’ପରେ ଝରଣାର ପାଣି ପିଇ ଆଗକୁ ଯିବାକୁ ବାହାରିଲା । ଏତିକିବେଳେ ସେ ଗୋଟାଏ ଗର୍ଜନ ଶୁଣି ପଛକୁ ଚାହିଁ ଦେଖେ ତ ଶକ୍ତ ଗୋଟେ କାଳିଆ ଘୋଡ଼ା; ତା’ଉପରେ ଗୋଟାଏ ଅସୁର ବସି ତାରି ଆଡ଼କୁ ଧାଇଁଛି । ସେ ଅସୁରର ମୁହଁଟା ଠିକ୍ ଘୋଡ଼ାର ମୁହଁପରି । କାଲି ରାତିରେ ବଗ ବଗୁଲୀ ଯେତେବେଳେ କଥାବାର୍ତ୍ତା ହେଉଥିଲେ ସେ ଚେଇଁରହି ଘୋଡ଼ାମୁଣ୍ଡିଆ ଅସୁର କଥା ଶୁଣୁଥିଲା । ଏବେ ତାକୁ ଆଗରେ ଦେଖିଲା । ତହୁଁ ସେ ନିଜର ଧନୁରେ ତୀର ଲଗାଇ ତାକୁ ଲକ୍ଷ୍ୟକରି ମାରିଲା । ଘୋଡ଼ାମୁଣ୍ଡିଆର ସେଥିକୁ ଖାତିରି ନ ଥାଏ । ସେ ଆଁ କରି ସବୁତକ ତାର ଗିଳିଯାଉଥାଏ । ଶେଷରେ ଅଜୟକୁମାରର ସବୁ ଶର ସରିଗଲା । ଘୋଡ଼ାମୁହାଁ ଅସୁରଟା ପାଖକୁ ଲାଗି ଆସୁଥାଏ । ଉପାୟ ନ ଦେଖି ସେ ନିଜର ଖଣ୍ଡା ବାହାରକରି ଘୋଡ଼ାମୁଣ୍ଡିଆର ବେକକୁ ଚୋଟେ ମାଇଲା । କିନ୍ତୁ ଏ କଅଣ ? ଖଣ୍ଡାଟା ତା’ ଦେହରେ ବାଜି ଗୁଣ୍ଡି ହୋଇଗଲା; ହେଲେ ଅସୁରର କିଛି ହେଲାନି ।

 

ହାଃ ହାଃ ହୋଇ ହସିଉଠି, ଘୋଡ଼ାମୁଣ୍ଡିଆ ଅଜୟକୁମାରର ହାତ ଦୁଇଟାକୁ ଧରିନେଇ କହିଲା–‘‘ବେଶ୍ ଖଣ୍ଡେ ଖେଳ ଦେଖେଇଲୁ ତୁ ଟୋକା । ଆଚ୍ଛା ହଉ ଚାଲ ।’’ ଏହା କହି ଏକାଥରେ ସେ ତାକୁ ଟେକିନେଇ କାନରେ ଖୋସିଦେଲା, ପିଲାଏ ଯେମିତି କାନରେ ପେନ୍‍ସିଲ ଖୋସିଥାନ୍ତି ଠିକ୍‍ ସେଇପରି । ଅସୁର ଅଜୟକୁମାରକୁ କାନରେ ଖୋସିଦେଇ ଘୋଡ଼ା ଛୁଟାଇଥାଏ । ଘୋଡ଼ାଚାଲିରେ କେତେବେଳେ କେମିତି ଅଜୟକୁମାର ତା’ କାନରୁ ଟିକିଏ ତଳକୁ ଖସିପଡ଼ିଲା ବେଳକୁ ଅସୁରଟା ଖୁବ୍ ଜୋରରେ ଗୋଟାଏ ଲେଖାଏଁ ଚାପୁଡ଼ା ତାକୁ ବସାଇ ଦେଉଥାଏ ।

 

ବଣ ଭିତରେ ଘୋଡ଼ାଟା ଗଛ ପତର, କଣ୍ଟି ଲଟି ମାଡ଼ି ମକଚି ଚାଲିଥାଏ । କିନ୍ତୁ ହଠାତ୍ କ’ଣ ହେଲା କେଜାଣି, ଘୋଡ଼ାଟା ଉପରକୁ ଉଠିଲା । ସେଇଟା ଏତେ ଉପରକୁ ଉଠିଲା ଯେ ଅଜୟକୁମାର ଆଉ ବଣ ଜଙ୍ଗଲ ଦେଖି ପାରିଲାନି; ତଳେ ସବୁ ଖାଲି ଧୂଆଁପରି ତାକୁ ଦେଖା ଯାଉଥାଏ । ଚାହୁଁ ଚାହୁଁ ଘୋଡ଼ାଟା ଏକାଥରେ ଯାଇ ମେଘଭିତରେ ପଶି ଉଡ଼ିଲା ।

 

ଆଗରେ ଗୋଟାଏ ପର୍ବତ ଦେଖାଯାଉଥାଏ । ସେହି ପର୍ବତ ଆଡ଼କୁ ଘୋଡ଼ା ମୁହଁ ବୁଲେଇଲା । କ୍ଷଣମାତ୍ରକେ ଘୋଡ଼ା ସେହି ପର୍ବତ ଉପରେ ଓହ୍ଲାଇଲା । ଅସୁର ନିଜେ ଘୋଡ଼ା ଉପରୁ ତଳକୁ ଆସି ଅଜୟକୁମାରକୁ କାନରୁ ବାହାରକରି ଓ ତାକୁ ଗୋଟାଏ ହାତରେ ଧରି କିଛିବାଟ ଉପରକୁ ଗଲା । ସେଇଠି ଭିତରକୁ ଓହ୍ଲାଇବା ପାଇଁ ସିଡ଼ି ରହିଥାଏ । ଅସୁର ସେଇ ସିଡ଼ିଦେଇ ପର୍ବତ ଭିତରକୁ ଖସିଲା ।

 

ବଡ଼ ଆଶ୍ଚର୍ଯ୍ୟର କଥା, ଅଜୟକୁମାର ସେଠି କାହାରିକୁ ହେଲେ ଦେଖିପାରିଲାନି; କିନ୍ତୁ ଅସୁର ଯେମିତି ସେଠି ପହଞ୍ଚିଛି, ସେମିତି କେତେ ରକମର ବାଜା ବାଜିଉଠିଲା । ୧୬।୧୭ ବର୍ଷର ଝିଅଟିଏ ଧାଇଁ ଧାଇଁ ଆସି ଅସୁର କୋଳରେ ବସିଗଲା । ଅସୁର ତାକୁ କହିଲା–‘‘ଦେଖିଲୁ, ଆଜି ଗୋଟାଏ କେମିତିକା ଜିନିଷ ଆଣିଛି । ୟାର କଅଁଳିଆ ମାଉଁସ ଖାଇବାକୁ ଭାରି ସୁଆଦିଆ ଲାଗିବ ନିଶ୍ଚୟ । ୟାକୁ ନେଇ ଯା । ଗୋଟାଏ ଘରେ ରଖି ବନ୍ଦ କରିଦେବୁ । କାଳି ମୁଁ ୟା କଥା ବୁଝିବି ।’’

 

ଝିଅଟି ଅଜୟକୁମାରର ହାତ ଧରି ନେଇ ଗୋଟାଏ ଘରେ ବନ୍ଦ କରି ରଖିଲା । କିଛିବେଳ ପରେ ସେ ଖାଇବା ଜିନିଷ ଆଣି ଅଜୟ ପାଖରେ ପହଞ୍ଚି କହିଲା–‘‘ନିଅ, ଏତକ ଖାଇଦିଅ ।’’ ଅଜୟକୁମାର ଦେଖିଲା, ଅସୁରଟା ସିନା ପାଜିଟାଏ, ନ ହେଲେ ତା’ର ଝିଅଟି ଖୁବ୍ ଭଲଲୋକ ପରି ଜଣାପଡ଼ୁଛି । ସେ ତା’ କଥା ମାନି ଖାଇବାକୁ ବାହାରିଲା, ଆଉ ଅସୁରର ଝିଅକୁ ହାତଧରି ଟାଣିଆଣି କହିଲା–‘‘’ତୁମେ ବି ମୋ ସାଙ୍ଗରେ ଆଜି ଖାଇବ ଆସ ।’’

 

ଅସୁର ଝିଅ ଏ କଥା ଶୁଣି କାବା । ଏମିତି କେତେ ଲୋକଙ୍କୁ ଅସୁର ଧରିଆଣିଥିବ । ସେ ସେମାନଙ୍କୁ ଦୟାକରି ଖାଇବା ପିଇବାକୁ ଦେଇଥିବ, କିନ୍ତୁ ଏମିତି ତ କେହି କେଉଁଦିନ ତାକୁ ସାଙ୍ଗରେ ଖାଇବାକୁ ଡାକି ନ ଥିଲେ । ସେ କହିଲା–‘‘ଉହୁଁ, ମୁଁ ଖାଇବିନି । ତୁମକୁ ଭୋକ ହେଉଥିବ, ତୁମେ ଖାଇନିଅ ।’’ କିନ୍ତୁ ଅଜୟକୁମାର ଭାରି ଜିଦ୍ ଧରିବାରୁ ଶେଷରେ ଅସୁର ଝିଅ ତା’ ସାଥିରେ ଖାଇବା ପାଇଁ ରାଜିହେଲା । ଦୁହେଁ ସାଥିହୋଇ ଖାଇଲେ ।

 

ଖାଇ ବସୁ ବସୁ କେତେ ରକମର କଥା ପଡ଼ିଲା । ଅସୁର ଝିଅ ଆଗରୁ ଅଜୟକୁମାରର ରୂପ ଦେଖି ଭୋଳ ହୋଇଯାଇଥିଲା । ବର୍ତ୍ତମାନ ତା’ର ଗୁଣର ପରିଚୟ ପାଇ ତା’ ଠେଇଁ ଭଳିଗଲା । ଦୁହେଁ ବସି ଅନେକ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ହେଲେ । ଯେମିତି ସଞ୍ଜ ହୋଇଆସିଛି, ଅସୁର ଝି୍ଅ କହିଲା–‘‘ଏଥର ତୁମେ ଏଠି ରହ, ମୁଁ ଯାଉଛି ।’’

 

ଅଜୟ ପଚାରିଲା–‘‘ଏଠି କେହି ଲୋକ ନାହାନ୍ତି । କଥାବାର୍ତ୍ତା କରିବାକୁ କି ଦୁଃଖସୁଖ ହବାକୁ କେହି ନାହାନ୍ତି । ମତେ ବଡ଼ ଏକୁଟିଆ ଲାଗୁଛି । ତୁମେ କ’ଣ ଆଉ ଆସିବନି ?’’

 

ଅସୁର ଝିଅ କହିଲା–‘‘ମୋତେ ରାତିରେ କୋଉଠିକି ଯିବାକୁ ମନା ହୋଇଛି । ଆଚ୍ଛା ହେଉ ତୁମେ ଏଇଠି ରହିଥା । ମୁଁ ବାପାର ଖାଇବା ପିଇବା ବୁଝି, ସେ ଶୋଇଲେ, ଲୁଚି ଲୁଚି ଏଠିକୁ ଚାଲିଆସିବି । ସେପର୍ଯ୍ୟନ୍ତ ତୁମେ ଏଇଠି ବସିଥିବ । ଖବରଦାର । ଏ ଘରୁ ଟିକିଏ ହେଲେ ଗୋଡ଼ କାଢ଼ି ପଦାକୁ ଯିବନି । ସେମିତି କଲେ ତୁମର ବଡ଼ ଅନିଷ୍ଟ ହବ ।’’

 

ଅଜୟକୁମାର ସେଇଠି ବସିରହିଥାଏ । ଅସୁର ଝିଅ ସେ ଘରର ଦରଜା ବନ୍ଦ କରିଦେଇ ଚାଲିଗଲା । ଅସୁର ଝିଅ ଯେମିତି ଚାଲିଯାଇଛି, ସେମିତି କେତେ ରକମର ବାଜା ବାଜିଉଠିଲା । ଅଜୟକୁମାର ଆଶ୍ଚର୍ଯ୍ୟ ହେଉଥାଏ । ବାଜା ସବୁ ସେଇ ଘର ଭିତରେ ତାରି ପାଖରେ ବାଜୁଥିବା ପରି ଶୁଭୁଥାଏ; କିନ୍ତୁ ସେ କାହାରିକୁ ଦେଖିପାରୁ ନ ଥାଏ । କେତେବେଳ ପରେ ଅପୂର୍ବସୁନ୍ଦରୀ ଝିଅଟିଏ ଆସି କହିଲା–‘‘ଏ ଅସୁର ତୁମକୁ ମାରି ଖାଇଦେବ । ଏ ଯୁବା ବୟସରେ କାହିଁକି ମରିବାକୁ ଆସିଥିଲ ? ମୋ ସାଙ୍ଗରେ ଆସ, ଆମେ ଦୁହେଁ ସାଙ୍ଗହୋଇ ରହିବା-। ମୁଁ ତୁମକୁ ଏଠୁ ଖୁବ୍ ସହଜରେ ନେଇଯିବି ।’’

 

ଏ କଥା ଶୁଣି ଅଜୟକୁମାର କହିଲା–‘‘ମୋ ବାହୁରେ ଯଥେଷ୍ଟ ବଳ ଅଛି । ମୁଁ ଏ ଅସୁର ପରି ଦଶଟା ଅସୁର ମାରିପାରିବି । ଅସୁର ହାତରେ ମୁଁ ମଲେ ପଛେ ମରିବି କିନ୍ତୁ ଚୋରପରି ଏଠୁ ଲୁଚି ପଳାଇଯାଇ ପାରିବିନି ।’’

 

ଅଜୟକୁମାରର କଥା ଶୁଣି ସେ ଝିଅଟି କୁଆଡ଼େ ଲୁଚିଗଲା । ତା’ପରେ ଗୋଟାଏ ବିକଟାଳ ଅସୁର ଆସି କହିଲା–‘‘ଦେଖ୍, ଏ ଅସୁର ଭାରି ଦୁଷ୍ଟ । ଯାହା କରିବାକୁ କହିବ, ତାହା କରିବ । ହର ବ୍ରହ୍ମା ହେଲେ ବି ତା’ କଥା ଟଳେଇ ପାରିବେନି । ତୋତେ କାଲି ସେ ମାରି ଖାଇବା ପାଇଁ କହିଛି ପରା । ନିଶ୍ଚୟ କାଲି ସକାଳୁ ତୋତେ ମାରି ତୋର ମାଉଁସ ଖାଇବ । ଏମିତି କେତେ ଲୋକଙ୍କୁ ଯେ ଧରି ମାରିକରି ଖାଇଛି, ତା’ର କିଛି କଳନା ନାହିଁ । ଏବେ ମୋ ପିଠିରେ ବସ, ମୁଁ ତତେ ନେଇ ଏ ପାହାଡ଼ ପାରି କରେଇ ଦେଇ ଆସିବି ।’’

 

ଅଜୟକୁମାର ଭାବିଲା, ସତକଥା; ଅସୁରଗୁଡ଼ାକ ବଡ଼ ଦୁଷ୍ଟ, ତାଙ୍କଠାରେ ଦୟାମାୟା ନଥାଏ । କାଳି ସକାଳୁ ହୁଏତ ମୋତେ ସେ ମାରି ଖାଇଯିବ । ୟା ସାଙ୍ଗଧରି ଚାଲିଗଲେ, ଜୀବନ ବଞ୍ଚିପାରେ । ପୁଣି ଭାବିଲା–ହୁଏତ, ଏଥିରେ କିଛି ବିପଦ ରହିଛି; ନ ହେଲେ ଅସୁର ଝିଅ ତାକୁ ସେଠାରୁ ଯିବାପାଇଁ ବାରଣ କରିଯାଇଥିଲା କାହିଁକି ? ସେ କହିଲା–‘‘ନାଇଁ, ମୋ ବାହୁରେ ଯଥେଷ୍ଟ ବଳ ଅଛି । ଅସୁରକୁ ମାରି ମୁଁ ଏଠୁଁ ଚାଲିଯାଇପାରିବି । ମୋର କାହାରି ସାହାଯ୍ୟ ଲୋଡ଼ା ନାହିଁ ।’’

 

ଏ କଥା ଶୁଣି ଅସୁରଟି ଲୁଚିଗଲା । ଅସୁରର ଝିଅ ଏତିକିବେଳେ ଆସି ପହଞ୍ଚିଗଲା । ଅଜୟକୁମାରକୁ ସେ ସେଇ ଗୁମ୍ପା ଭିତରେ ଥିବା ନିଜର ଘରକୁ ଡାକିନେଲା । ଘର ଭିତରେ ସୁନ୍ଦର ପୋଖରୀଟାଏ ଥାଏ । ତା’ ଭିତରେ କଇଁ, ପଦ୍ମ ପ୍ରଭୃତି ଫୁଲ ଫୁଟିଥାଏ; ହଂସମାନେ ଖେଳୁଥାନ୍ତି । ରାତିରେ ବି ସେଠି ଦିନପରି ଆଲୁଅ ହୋଇଥାଏ । ଏ ସବୁ ଦେଖି ଅଜୟକୁମାର କାବା । ପୋଖରୀ ଚାରିପଟରେ ବଗିଚା ହୋଇଥାଏ । ବଗିଚାର ଗୋଟିଏ କଡ଼କୁ ଯାଇ ଝିଅଟି ଯେମିତି ଗୋଟିଏ ଜାଗାରେ ହାତ ମାରିଦେଇଛି, ସେମିତି ଗୋଟାଏ ଦୁଆର ଖୋଲିଗଲା ।

 

ଅସୁର ଝିଅ କହିଲା–‘‘ଏଇ ହେଉଛି ମୋର ରହିବା ଜାଗା । ଏଠିକୁ କେହି କେବେ ଆସି ପାରିବେନି । ମୋ ବାପାର ଯେଉଁ ଘୋଡ଼ା ଅଛି, ସେ ଦଶକୋଶ ଭିତରେ ମାଛିଟାଏ ଉଡ଼ିଗଲେ ବି ଦେଖିପାରେ । କିନ୍ତୁ ଏ ଘର ଏମିତି ଭାବରେ ତିଆରି ହୋଇଛି ଯେ ତୁମେ ଏଠି ଦଶ ବର୍ଷ ଲୁଚିରହିଲେ ବି ସେ ଜାଣିପାରିବନି । ଆସ, ଭିତରକୁ ଆସ ।’’ ସେ ଚାଲିଥାଏ । ତା’ ପଛରେ ଅଜୟକୁମାର ବି ଚାଲିଥାଏ । ଘରର ସାଜସଜ୍ଜା ଦେଖି ଅଜୟକୁମାର ଏକାଥରେ ଛାନିଆଁ । ଗୋଟିଏ ଜାଗାରେ ପାହାଡ଼ରୁ ଝରଝର ହୋଇ ଝରଣା ବହି ଆସୁଥାଏ । ତାରି ଚାରିପାଖରେ ନାନା ଜାତିର ଫୁଲଗଛ ଲଗାହୋଇଥାଏ । ଅସୁର ଝିଅ ଆଉ ଅଜୟକୁମାର ଦୁହେଁ ଯାଇଁ ସେଇ ବଗିଚା ଭିତରେ ବସିଲେ ।

 

ଅଜୟକୁମାର କହିଲା–‘‘ଭୋକ ଶୋଷରେ ମୋର ତଣ୍ଟି ଶୁଖିଯାଉଥିଲା । ତୁମେ ମୋତେ ଖାଇବା ପିଇବାକୁ ଦେଲ । ମୋର ବହୁତ ଉପକାର କଲ । ତୁମେ ନ ଥିଲେ ମୁଁ ଆଜି ଏଇଠି ମରିଯାଇଥାନ୍ତି । ତୁମର ନାଁ କ’ଣ ?’’

 

ଅସୁର ଝିଅ କହିଲା–‘‘ମୋ ନାଁ ହେଉଛି ପୁଷ୍ପକେଶୀ । ମୋ ବାପାର ମୁଁ ଗୋଟିଏ ବୋଲି ଝିଅ । ମୋତେ ମୋ ବାପା ଭାରି ଶରଧା କରେ । ସେଥିପାଇଁ ସେ ମୋତେ ଆଜିଯାଏ ବିଭା କରାଇନି । ତୁମେ କିଏ ? ଏ ବଣକୁ କାହିଁକି ଆସିଥିଲ ?’’

 

ଅଜୟକୁମାର କହିଲା–‘‘ମୁଁ ସତ୍ୟପୁରର ରାଜା ସତ୍ୟବ୍ରତଙ୍କର ପୁଅ । ଆମେ ସାତ ଭାଇ । ସାତ ଭାଇଯାକ କାଉଁରୀ ରାଇଜକୁ ବୁଳିବାକୁ ବାହାରିଛୁ । ବଡ଼ ଭାଇ ବିଜୟକୁମାର କାଉଁରୀ ଦର୍ପଣ ଆଣିବାପାଇଁ ଦୁଇଦିନ ତଳେ ଯାଇଛନ୍ତି । ମୁଁ କାଲି ଆସିଛି । ରାଇଜକୁ ଯାଇ କାଉଁରୀ ମୁଦି ଆଣିବାକୁ ମୋର ଭାରି ମନ ବଳିଛି । ଆଉ ଭାଇମାନେ ମୋର ମଧ୍ୟ ଆସିଛନ୍ତି । ତୁମରି ପରି ମୋର ଗୋଟିଏ ଭଉଣୀ ଅଛି ।’’

 

ଅସୁର ଝିଅ ତା’ ବାପାଠୁଁ କାଉଁରୀ ଦେଶ କଥା ଶୁଣିଥିଲା । ସେ କହିଲା–‘‘ମୁଁ ସେ ଦେଶ କଥା ଜାଣେ । ମୋ ବାପା କହୁଥିଲେ, ସେ ରାଇଜକୁ ଯେ ଯିବ, ସେ ଆଉ ଫେରି ଆସିପାରିବନି । ମୁଁ ସେ ଦେଶକୁ ଯିବାପାଇଁ ମୋ ବାପାଙ୍କ ସାଥିରେ କେତେଥର ଅଳିକରିଛି । କିନ୍ତୁ ସେ ମୋତେ ସେଠିକୁ ଛାଡ଼ିବାକୁ ନାରାଜ । ତୁମେ ଯେତେବେଳେ ସାଥି ହେଲଣି, ଏଥର ଚାଲ ଲୁଚି ଲୁଚି ପଳାଇଯିବା । ଫେରିଲେ ଆମେ ଦୁହେଁ ବିଭାହୋଇ ଏଇଠି ରହିବା ।’’

 

ଅଜୟକୁମାର ହସି ହସି କହିଲା–‘‘ହଁ, ସତ କଥା; କିନ୍ତୁ ସେଠିକୁ ଯିବା କିମିତି ? ଏଠୁ ଗୋଡ଼ କାଢ଼ି ପଦାକୁ ଗଲେ, ତୁମ ବାପାର ଯେଉଁ ଘୋଡ଼ା ଅଛି, ସେ ଦେଖିନେବ । ତାହାହେଲେ ତୁମ ବାପା ଆମ ଦୁହିଁଙ୍କୁ ଧରି ମାରି ପକାଇବ । ମୁଁ ତ ମରିବା ପାଇଁ ପ୍ରସ୍ତୁତ ହୋଇ ରହିଛି । କିନ୍ତୁ ତୁମେ କାହିଁକି ମିଛଟାରେ ମୋ ପାଇଁ ମରିବ, କହିଲ ?’’

 

ଏକଥା ଶୁଣି ପୁଷ୍ପକେଶୀ କହିଲା–‘‘ମୁଁ ‌ଗୋଟାଏ ଉପାୟ କହିବି । ସେପରି କଲେ କେହି ଆମର କିଛି କରିପାରିବେନି । ମୋ ବାପର ଯେଉଁ ଘୋଡ଼ା ଅଛି, ତା’ କାନ ଭିତରେ ଗୋଟାଏ ଫରୁଆ ଅଛି । ସେ ଫରୁଆ ଭିତରେ ଗୋଟାଏ ପୋକ ଅଛି । ସେ ପୋକକୁ ଯଦି କେହି ମାରିଦେଇ ପାରିବ, ତେବେ ମୋର ବାପା ମରିବ । ମୋ ବାପାକୁ ଯେ ମାରିଥିବ, ଘୋଡ଼ାଟା ତାରି ହୋଇ ରହିବ । ଏଥର ସେଇପରି କର; ସେଇ ଘୋଡ଼ାରେ ବସି ଆମେ କାଉଁରୀ ଦେଶରେ ପହଞ୍ଚି ପାରିବା ।

 

‘ମଳୁ ଖୋଜୁଥିଲା ଯାହା, ବଇଦ ବତେଇଲା ତାହା ।’ ଅଜୟକୁମାର ସେଇଥିପାଇଁ ଜାଣିଶୁଣି ଏ ବଣରେ ପଶିଥିଲା । କିଛି ଗୋଟାଏ ବାଗ ପଟିଲେ, ସେ ଅସୁରକୁ ମାରିବ ବୋଲି ସୁଯୋଗ ଉଣ୍ଡୁଥାଏ । ଏକଥା ଶୁଣି ସେ ଉପରକୁ ଦେଖାଇଲା ଭଳି ମୁହଁ ଶୁଖାଇ କହିଲା–‘‘ସେଥିରେ ବହୁତ ବିପଦ ରିହଛି । ଘୋଡ଼ାଟା ପରା ଦଶକୋଶ ଦୂରରୁ ମଣିଷ ଗନ୍ଧ ବାରିପାରିବ । ସେଥିରେ ତା’ ପାଖକୁ ଯାଇ ତା’ କାନରୁ ଫରୁଆ ଆଣିବ କିଏ ? ପୁଣି କାଉଁରୀ ଦେଶ ବୁଲିବା ପାଇଁ ତୁମେ ତୁମର ବାପାଙ୍କୁ ମାରିବ, ଏଟା କିଛି ଭଲକଥା ନୁହେଁ ।’’

 

ପୁଷ୍ପକେଶୀ କହିଲା–‘‘ନାଁ ଖାଲି କାଉଁରୀ ଦେଶ ଦେଖିବାପାଇଁ ନୁହେଁ । ତୁମକୁ ବିଭାହେବା ପାଇଁ ମଧ୍ୟ ମୋର ଇଚ୍ଛା ହେଉଛି । ମୋ ବାପ ବଞ୍ଚି ଥାଉଁ ଥାଉଁ ସେ ମୋତେ ତୁମ ସଙ୍ଗରେ ବିଭା କରେଇ ଦବନାହିଁ । ସେଇଥିପାଇଁ ମୁଁ ଏ ସବୁକାମ କରିବାକୁ ଯାଉଛି । ମୁଁ ତୁମକୁ ଏମିତି ଗୋଟଶଏ ଜିନିଷ ଦେବି ଯେ, ସେଥିରେ ସେ ଘୋଡ଼ା ତୁମକୁ ଦେଖିପାରିବନି; ତୁମେ ଯାଇ ତା’ କାନରୁ ଫରୁଆ ଆଣି ସେ କାମ କରିପାରିବ ।’’

 

ଅଜୟକୁମାର ରାଜି ହେଲା ।

 

ପୁଷ୍ପକେଶୀ ବଗିଚା ଭିତରୁ ଗୋଟାଏ ଫୁଲ ଆଣି ତାକୁ ମନ୍ତୁରିଦେଇ କହିଲା–‘‘ନିଅ, ଏ ଫୁଲ ତୁମ ଅଣ୍ଟାରେ ଥିଲେ, ତୁମକୁ କେହି ଦେଖିପାରିବେନି; ତୁମେ ସବୁକାମ କରିପାରିବ । କିନ୍ତୁ ମୋତେ ଠକି ଦେବାକୁ ଚେଷ୍ଟା କରିବନି । ମୋ ପାଖରେ ଏମିତି ଜିନିଷ ଅଛି ଯେ ତୁମେ ଯେଉଁଠି ଥିବ, ମୁଁ ତୁମକୁ ବାନ୍ଧିଆଣିବି ।’’

ଅଜୟକୁମାର ସେ ଫୁଲଟିକୁ ନେଇ ଯେମିତି ଅଣ୍ଟାରେ ଖୋସିଛି, ସେମିତି ଅଦୃଶ୍ୟ ହୋଇଗଲା । ସେ ଧୀରେ ଧୀରେ ଯାଇ ଘୋଡ଼ାଶାଳ ପାଖରେ ପହଞ୍ଚିଲା । ଘୋଡ଼ା ସେତେବେଳକୁ ସବୁ ଜାଣିପାରିଲାଣି । ସେ ସିନା ଦେଖିପାରୁ ନ ଥାଏ, ହେଲେ ମଣିଷର ଗନ୍ଧ ବାରି ପାରୁଥାଏ । ଘୋଡ଼ା ଝାଡ଼ି ଝୁଡ଼ି ହୋଇ ଠିଆ ହୋଇଗଲା । ଅଜୟକୁମାର ଗୋଡ଼ ଚିପି ଚିପି ଯାଇ କୁଦାଟାଏ ମାରି ଘୋଡ଼ାଉପରେ ବସିଗଲା । ଘୋଡ଼ାଟା ତାକୁ ତଳେ ପକାଇଦେବାକୁ ବହୁତ ଚେଷ୍ଟା କଲା । କିନ୍ତୁ ଅଜୟକୁମାର ତା’ ବେକକୁ ଧରି ତା’ କାନଭିତରୁ ଯେମିତି ଫରୁଆଟି କାଢ଼ିନେଇଛି, ଘୋଡ଼ା ସେମିତି ଚୁପ୍‍ ହୋଇ ଠିଆ ହୋଇଗଲା ।

ଅଜୟକୁମାର କାଳେ ପଳାଇଯିବ, ସେଥିପାଇଁ ପୁଷ୍ପକେଶୀ ତା’ ପଛେ ପଛେ ରହିଥାଏ-। ଅଜୟ ଘୋଡ଼ା ଉପରୁ ଓହ୍ଲାଇପଡ଼ି ଦେଖେ ତ ଘୋଡ଼ାଶାଳ ଆଗରେ ପୁଷ୍ପକେଶୀ ଠିଆ ହୋଇ ରହିଛି । ସେ ମନେ ମନେ ବିଚାରିଲା, କାମ ହାସଲ ହୋଇଯିବା ଭଳି ଜିନିଷ ପାଖକୁ ଆସିଗଲାଣି-। ଏଥର ଏ ଅସୁର ଝିଅ ଯେମିତି ପଛେ ପଛେ ଗୋଡ଼େଇଛି, ନିଶ୍ଚୟ ସେ ବି ସାଙ୍ଗରେ ଯିବ-। ତାକୁ ନେଇ ସେ କାଉଁରୀ ରାଇଜକୁ ଯିବ କେମିତି ? କାଉଁରୀ ଦେଶ କିଛି ଅଳପ କଥା ନୁହେଁ । ଏକା ଥିଲେ କୌଣସି କଥାକୁ ଚିନ୍ତା ନାହିଁ । କିନ୍ତୁ ଏଥିରୁ ଗୋଟାଏ ସାଙ୍ଗରେ ଧରି ସେ ଯିବ କୁଆଡ଼େ-? ସେ ଅସୁର ଝିଅକୁ ଫାଙ୍କିଦେବାକୁ ଭାବିଥିଲା । କିନ୍ତୁ କାଳେ ସେ କିଛି ଗୋଳମାଳ କରିବ, ସେଥିପାଇଁ ସେ କହିଲା–‘‘ପୁଷ୍ପକେଶୀ, ଏଥର କାମ ହାସଲ ହୋଇଗଲା । ଫରୁଆଟା ମୋ ପାଖରେ ଅଛି । ଏବେ କଅଣ କରିବାକୁ ହେବ କହିଲ ?’’

ପୁଷ୍ପକେଶୀ କହିଲା–‘‘ବେଶ୍ ତ, ଆଉ ଡେରି କାହିଁକି ? ଏଥର ତା’ ଭିତରେ ଯେଉଁ ପୋକ ଅଛି, ତାକୁ ଦଳି ମାରିଦିଅ । ଶୀଘ୍ର କର, ନହେଲେ ବାପା ଯଦି ଆସି ପହଞ୍ଚିଯିବ, ତେବେ ସବୁ ଅଡ଼ୁଆ ହୋଇଯିବ ।’’

ଘୋଡ଼ାମୁଣ୍ଡିଆ ଅସୁର ନିଦରେ ଶୋଇଥାଏ । ଅଜୟକୁମାର ହାତରେ ଯେମିତି ଫରୁଆ ପଡ଼ିଛି, ସେମିତି ତା’ର ନିଦ ଭାଙ୍ଗିଗଲା । ତା’ର ଛାତିଭିତରଟା କଅଣ ହୋଇଗଲା ପରି ଜଣାଗଲା-। ସେ ଜାଣିପାରିଲା ଯେ, ତା’ ଜୀବନ ଉପରକୁ ବାଧା ଆସି ପହଞ୍ଚିଗଲାଣି । ରଡ଼ିଟାଏ କରି ଗୋଟାଏ ମସ୍ତବଡ଼ ଗଦା ଧରି ସେ ଶୋଇବା ଘରୁ ଉଠିଆସିଲା । ଯେଉଁ ଘରେ ଅଜୟକୁମାର ବନ୍ଦ ହୋଇଥିଲା, ଅସୁର ସେଠିକୁ ଯାଇ ଦେଖେ ତ, ସେ ଘରଟା ଖାଲି ପଡ଼ିଛି । ପୁଣି ଝିଅର ଶୋଇବା ଘରକୁ ଦଉଡ଼ି ଦଉଡ଼ି ଗଲା । ସେଠି ଯାଇ ପହଞ୍ଚି ଦେଖେ ତ, ଝିଅ ସେଠାରେ ନାହିଁ ।

ରାଗରେ ଦାନ୍ତ କଡ଼ ମଡ଼ କରି ରଡ଼ି ଛାଡ଼ି, ଗଦାକୁ ଭୁସ୍‍ଭାସ୍ କରି ତଳେ ପିଟି ପିଟି ସେ ଯାଇ ଘୋଡ଼ାଶାଳରେ ପହଞ୍ଚିଲା । ଘୋଡ଼ାଟା ଯେମିତି ଅସୁରକୁ ଦେଖିଛି, ହେଁ ହେଁ ହୋଇ ହସି ହସି କହିଲା–‘‘ଏଥର ତୋର ଆୟୁଷ ପୁରିଲା । ଯେଉଁ ରଜା ପୁଅକୁ ତୁ ମାରି ଖାଇବା ପାଇଁ ଆଣିଥିଲୁ, ଏବେ ସେ ତୋତେ ମାରିପକାଇବ ।’’

ଅସୁର ରଡ଼ି ଛାଡ଼ି କହିଲା–‘‘କିନ୍ତୁ ସେ ମୋର ମରଣଭେଦ ଜାଣିଲା କିପରି ? ତୋ ପାଖକୁ ସେ ଆସିଲା କେମିତି ।’’

ଘୋଡ଼ା କହିଲା–‘‘ସେକଥା କହି ଆଉ ଲାଭ କଅଣ ? ତା’ ହାତରେ ତୋର ମରଣ ବିଧାତା ଲେଖିଛି; ମୁଁ କାଲି ତୋତେ ବାରଣ କରିଥିଲି । ସତ୍ୟବ୍ରତ ରାଜାର ପୁଅ ସେ । ତାକୁ ଦେବତା ବି ଡରିବେ । ବାପର ଧର୍ମବଳରୁ ସେ ସବୁକିଛି କରିପାରିବ । ଏବେ ମୋ କଥା ନ ଶୁଣି କି ହଇରାଣ ହେଉଛୁ । ନିଆଁକୁ ଆଣି ଅଣ୍ଟିରେ ପୁରାଇଲୁ, ସେଥିରେ ଲୁଗା ପୋଡ଼ିବନି ତ ଆଉ କଅଣ ? ତୋରି ଝିଅ ପୁଷ୍ପକେଶୀ ତାକୁ ଚନ୍ଦ୍ରକାନ୍ତି ଫୁଲ ଦେଲା । ରଜାପୁଅ ସେ ଫୁଲ ଧରି ଅଦୃଶ୍ୟ ହୋଇ ମୋ କାନରୁ ତୋର ଜୀବନ ଘେନିଗଲା । ଏଥିରେ ମୋର କିଛି ଦୋଷ ନାହିଁ ।’’

ଅସୁର ରାଗିଯାଇ ଖୁବ୍ ଜୋରରେ ନିଜର ଗଦାରେ ଘୋଡ଼ାକୁ ପାହାରେ ପିଟିଲା; କିନ୍ତୁ ଘୋଡ଼ାର କିଛି ହେଲାନି । ସେ ହସି ହସି କହିଲା–‘‘ଜୀବନଯାକ ତୋରି ପାଖରେ କଟାଇଲି । ତୋର ମୁଁ ଯେଉଁ ଉପକାର କରିଛି, ଯେତେ ଯେତେ ବିପଦରୁ ତୋତେ ବଞ୍ଚାଇଛି, ଆଜି ମୋତେ ମାରି ତୁ ସେ ଉପକାର ଶୁଝାଇଲୁ । ଏଥର ତୋର ମରଣବେଳ ପାଖେଇ ଆସିଲା ବୋଲି ଜାଣିଥା-।’’

ଅସୁର ଡରିଗଲା । ଚାରିଆଡ଼କୁ କନକନ ହୋଇ ଚାହିଁଲା । ସବୁଆଡ଼ୁ ତାକୁ ବିପଦ ମାଡ଼ିଆସିବା ପରି ଜଣା ଯାଉଥାଏ । ଘୋଡ଼ାଟା ସେଇପରି ହସି ହସି କହୁଥାଏ–‘‘ତୋର ମରଣ ପାଖେଇ ଆସିଲାଣି ।’’ ଅସୁର ଏକଥା ଶୁଣିଲାବେଳକୁ ପାଗଳ ପରି ହୋଇଯାଉଥାଏ । ସେ ଘୋଡ଼ାଶାଳ ଭିତରୁ ବାହାରି ଦୌଡ଼ି ପଳାଇବାକୁ ବସିଲା । ଏତିକିବେଳେ ଅଜୟ କୁମାର ତା’ ଆଗରେ ଠିଆହୋଇ କହିଲା–‘‘ମୋତେ ମାରିବା ପାଇଁ ଆଣିଥିଲୁ ପରା, ଏବେ ତା’ର ଶାସ୍ତି ପାଇବୁ ରହ ।’’

ଅସୁର ଗଦା ଉଠେଇ ତାକୁ ମାରିବାକୁ ଧାଇଁ ଆସିଲା । ଏତିକିବେଳେ ଅଜୟ ଯେମିତି ଚନ୍ଦ୍ରକାନ୍ତି ଫୁଲକୁ ଅଣ୍ଟାରେ ଖୋସିଦେଇଛି, ସାଙ୍ଗେ ସାଙ୍ଗେ ଅଦୃଶ୍ୟ ହୋଇଗଲା । ଅସୁରଟା ତଳେ ମୁହଁମାଡ଼ି ହୋଇ ପଡ଼ିଗଲା ।

ଅସୁର ପୁରି ଝାଡ଼ିଝୁଡ଼ି ହୋଇ କହିଲା–‘‘ଏ ପିଲା । ମୋତେ ସେ ଫରୁଆ ଦେଇ ଦେ; ତୋତେ ଭାରି ଭଲ ଜିନିଷ ସବୁ ଦେବି । ମୋ ଝିଅ ସାଙ୍ଗରେ ବିଭା କରାଇଦେବି ।’’

ଏକଥା ଶୁଣି ଅଜୟକୁମାର କହିଲା–‘‘ତୋତେ ମାରିଦେଲେ ବି ମୁଁ ସବୁ ପାଇପାରିବି । ଏ ବଣରେ ଉତ୍ପାତ କରିବାକୁ ତୋତେ ପୁଣି ଛାଡ଼ି ଦେଇଯିବି କାହିଁକି ?

ଏତିକିବେଳେ ପୁଷ୍ପକେଶୀ କହିଲା–‘‘ଶୀଘ୍ର ସେ ଫରୁଆ ଖୋଲି ପୋକକୁ ମାରିଦିଅ । ନ ହେଲେ ବଡ଼ ଅନର୍ଥ ହେବ । ସକାଳ ହୋଇଆସୁଛି । ସୂର୍ଯ୍ୟ ଉଦୟହେଲେ ଆଉ ଚନ୍ଦ୍ରକାନ୍ତି ଫୁଲର ଗୁଣ ରହିବନି । ତୁମେ ଧରା ପଡ଼ିଯିବ ।’’

ଅସୁର ପଛକୁ ଚାହିଁ ଦେଖେ ତ, ନିଜ ଝିଅ ପୁଷ୍ପକେଶୀ ଠିଆ ହୋଇ ଏକଥା କହୁଛି । ସେ ତାକୁ ଦେଖିବା ମାତ୍ରେ ଦାନ୍ତ କଡ଼ମଡ଼ କରି ଗଦା ଉଠାଇ ମାରିବାକୁ ଧାଇଁଗଲା । ଏତିକିବେଳେ ଅଜୟକୁମାର ଫରୁଆ ଭିତରୁ ପୋକଟିକୁ ବାହାର କରି ତଳେ ପକାଇ ଗୋଡ଼ରେ ଦଳିଦେଲା ।

ଅସୁର ଖୁବ୍ ବଡ଼ ରଡ଼ିଟାଏ ଛାଡ଼ି ତଳେ ପଡ଼ିଗଲା । ତା’ର ରଡ଼ିରେ ସେ ଗୁମ୍ଫାଟା ଏକାଥରକେ ଥରିଉଠିଲା । ଘୋଡ଼ାଟା ଖୁବ୍ ଜୋରରେ ହେଁ ହେଁ ହୋଇ ହସିଉଠିଲା । ହାତେ ଲମ୍ୱର ଜିଭଟାଏ କାଢ଼ିପକାଇ ଅସୁର ସେଇଠି ମରି ପଡ଼ିଲା ।

 

ଅସୁର ମରିବାର ଦେଖି ଅଜୟକୁମାର ପୁଷ୍ପକେଶୀକୁ ସଙ୍ଗରେ ଘେନି ଆସି ଘୋଡ଼ାଶାଳରେ ପହଞ୍ଚିଲା । ଘୋଡ଼ାଟି ମୁଣ୍ଡ ନୂଆଇଁ କହିଲା–‘‘ଅଜୟକୁମାର, ଏବେ ମୋତେ କ’ଣ କରିବାକୁ ଆଜ୍ଞା ଦେଉଛ ? ମୁଁ ଆଜଠୁଁ ତୁମରି ଚାକର ହେଲି । ମୋତେ ଯାହା କହିବ, ମୁଁ ତାହା କରିବି । ସତ୍ୟବ୍ରତ ରଜାର ପୁଅ ତୁମେ, ତୁମ ପରି ଲୋକ ପାଖରେ ରହିବାରେ ମୋର ବଡ଼ ଆନନ୍ଦ ହେବ । ଆଜିଠୁଁ ମୁଁ ତୁମରି କାମ କରିବି ।’’

 

ଅଜୟକୁମାର ଘୋଡ଼ାଟିର ପିଠି ଥାପୁଡ଼େଇ କହିଲା–‘‘ଏବେ ଆମ ଦୁହିଁଙ୍କୁ ନେଇ କାଉଁରୀ ରାଇଜ ରଜାଙ୍କ ଉଆସ ପାଖରେ ପହଞ୍ଚାଇ ଦେ’’ ।

 

ଘୋଡ଼ା କହିଲା–‘‘ସେ କଥା ହୋଇପାରିବନି । ମୁଁ ତୁମକୁ ନିଶ୍ଚୟ ନେଇଯିବି । କିନ୍ତୁ ପୁଷ୍ପକେଶୀକୁ ନେବି ନାହିଁ । ତାକୁ ସାଙ୍ଗରେ ନେଲେ, ତୁମ ଉପରକୁ ବିପଦ ମାଡ଼ିଆସିବ । ସେ ଏଠି ଥାଉ; କାଉଁରୀ ଦେଶରୁ ଫେରିବାବେଳକୁ ମୁଁ ପୁଣି ତୁମକୁ ଏଠିକୁ ନେଇଆସିବି । ବରଷକ ପରେ ପୁଷ୍ପକେଶୀ ତୁମକୁ ବିଭାହେବ ।’’

 

ପୁଷ୍ପକେଶୀକୁ ଘୋଡ଼ାର ଗୁଣ ଜଣାଥିଲା । ତା’ର ବାପା ସବୁବେଳେ ଘୋଡ଼ାର କଥା ମାନି ଚଳୁଥିଲା । ତା’ କଥା ନ ମାନି ତା’ର ବାପା ମଲା । ଘୋଡ଼ାଟାକୁ ଆଗତ ଭବିଷ୍ୟତ ସବୁ ଜଣା । ତା’ କଥା ନ ମାନି ପୁଷ୍ପକେଶୀ ଆଉ ଯିବ କୁଆଡ଼େ ? ସେ ସେଇଠି ରହିଲା ।

 

ଘୋଡ଼ା ଅଜୟକୁମାରକୁ ପିଠିରେ ବସାଇ ପବନ ବେଗରେ ଆଗକୁ ଛୁଟି ଚାଲିଲା ।

 

–ଦୁଇ–

 

ଅଜୟକୁମାର ଘୋଡ଼ା ପିଠିରେ ବସିଥାଏ । ବଣଜଙ୍ଗଲ ପାରିହୋଇ ଘୋଡ଼ା ଚାଲିଥାଏ-। କେତେ ବାଟ ଯିବା ପରେ ବଣ ଭିତରେ ଗୋଟାଏ ଝରଣା ପଡ଼ିଲା । ଘୋଡ଼ା ସେଇଠି ଅଟକିଲା । ଅଜୟକୁମାର ସେଠାରେ ଗାଧୋଇବାକୁ ବାହାରିଲା । ଘୋଡ଼ା ବି ପାଣି ପିଇ ଉପରକୁ ଉଠିଲା-। ଅଜୟକୁମାର ଗାଧୋଇସାରି ଉପରକୁ ଆସି ଦେଖେ ତ ଘୋଡ଼ା ନାହିଁ । ତା’ର ହଲକ ଶୁଖିଗଲା-। ଘୋଡ଼ାଟା ହେଉଛି ଅସୁରର । ଅସୁରକୁ ମାରିଛି ବୋଲି ଭାବି ଘୋଡ଼ାଟା କ’ଣ ତେବେ ଚାଲିଗଲା ନା କ’ଣ ? ଅଜୟ ଏଇପରି ଭାବୁଥାଏ, ଏତିକିବେଳେ ଗୋଟାଏ ମାଙ୍କଡ଼ ଗଛଡ଼ାଳରୁ ଡେଇଁ ଡେଇଁ ତା’ ପାଖକୁ ଆସି କହିଲା–‘‘ନିଅ, ତୁମପାଇଁ ମୁଁ ଏ ଫଳ ଆଣିଛି, ଖାଇଦିଅ ।’’

 

ଅଜୟକୁମାର ପଚାରିଲା–‘‘ଆଚ୍ଛା, ତୁମେ ମୋର ଘୋଡ଼ାକୁ ଦେଖିଛ କି ? ମୁଁ ଏଇଠି ତାକୁ ଛାଡ଼ିଦେଇ ଗାଧୋଇବାପାଇଁ ଯାଇଥିଲି; ଗାଧୋଇସାରି ଉପରକୁ ଆସି ଦେଖେ ତ ଘୋଡ଼ା ନାହିଁ ।’’

 

ମାଙ୍କଡ଼ ସଙ୍ଗେ ସଙ୍ଗେ ନିଜର ରୂପ ବଦଳାଇ ପୁଣି ଘୋଡ଼ା ହୋଇଗଲା । ଆଉ ହସି ହସି କହିଲା–‘‘ମୋତେ ନ ଦେଖି ତୁମେ ଡରିଯାଇଥିଲ ପରା । ମୁଁ ତୁମ ପାଇଁ କିଛି ଖାଇବା ଜିନିଷ ଆଣିବାକୁ ଯାଇଥିଲି । ମୋର ଯେତେବେଳେ ଯେଉଁ ରୂପ ଧରିବାକୁ ଇଚ୍ଛାହୁଏ, ମୁଁ ସେତେବେଳେ ସେ ରୂପ ଧରିପାରେ । ଏବେ ଏତକ ଖାଇଦିଅ । କାଉଁରୀ ରାଇଜ ଏଠୁ ଅନେକ ବାଟ ଅଛି । ମୁଁ ଚାଲି ଚାଲି ଗଲେ ସେଠି ପହଞ୍ଚିବାକୁ ତିନି ବରଷ ଲାଗିବ । ତେବେ ମୁଁ ଶୀଘ୍ର ଉଡ଼ିପାରେ । ଉଡ଼ି ଉଡ଼ି ଗଲେ, ସେଠି ପହଞ୍ଚିବାକୁ ମୋତେ ମାସେ ସମୟ ଲାଗିବ । ଏଥର ବାହାରିପଡ଼ ।’’

 

ଫଳତକ ଖାଇଦେଇ ଅଜୟକୁମାର ଯେମିତି ଘୋଡ଼ା ଉପରେ ବସିଛି, ଘୋଡ଼ା ଉପରକୁ ଉଠିଲା । ଚାହୁଁ ଚାହୁଁ ଘୋଡ଼ା ଦେହରେ ଦୁଇଟା ଡେଣା ଲାଗିଗଲା । ସେଇ ଡେଣାକୁ ପିଟି ପିଟି ସେ ସାଇଁ ସାଇଁ ହୋଇ ଉଡ଼ି ଚାଲିଥାଏ । ପ୍ରତିଦିନ ଘୋଡ଼ା ବଣ ଜଙ୍ଗଲ ଜାଗାରେ ଓହ୍ଲାଏ । ଝର ପାଣି ପିଇ, ପୁଣି ଉପରକୁ ଉଠେ । ଅଜୟକୁମାରକୁ ସେ କେତେ ନୂଆ ନୂଆ ଦେଶ ଦେଖାଉଥାଏ; ନୂଆ ନୂଆ କଥା କହୁଥାଏ । ଏହିପରି ଭାବରେ ଦୁହେଁ ଚାଲିଥାନ୍ତି ।

 

–ତିନି–

 

ବଡ଼ଝିଅ ବସନ୍ତମଞ୍ଜରୀ ଚାଲିଯିବା ଦିନରୁ କାଉଁରୀ ରାଇଜର ରାଜା ପୁଷ୍ପକେତୁ ରାଇଜ ଚାରିପାଖରେ ଏମିତି ସବୁ କଟକଣା କରିଥାଆନ୍ତି ଯେ, ମାଛିଟାଏ ହେଲେ ବି ସେ ରାଇଜ ଭିତରକୁ ଆସି ପାରିବାର ବାଟ ନ ଥାଏ । ରାଇଜ ଚାରିପାଖରେ ରାଜା କାଉଁରୀବିଦ୍ୟା ବଳରେ ପ୍ରକାଣ୍ଡ ପ୍ରକାଣ୍ଡ ପର୍ବତମାନ କାନ୍ଥ ଦେଲାପରି ଠିଆ କରାଇଥାନ୍ତି । ପୁଣି ସେ ପାହାଡ଼ ସବୁ ମେଘ ଭିତରେ ଏମିତି ଭାବରେ ଲୁଚି ରହିଥାଏ ଯେ ଦୂରରୁ କି ପାଖରୁ ଦେଖା ଯାଉ ନ ଥାଏ । ପାହାଡ଼ ତଳେ ଅକାତକାତ ପାଣି ରଖା ହୋଇଥାଏ । ପାଣିରେ ଖୁବ୍ ବଡ଼ କିମ୍ଭୀରଟାମାନ ରହିଥାନ୍ତି । ଯଦି କେହି ପକ୍ଷୀରାଜ ଘୋଡ଼ାରେ ଆସେ, ତେବେ ସେ ପାହାଡ଼ ଦେହରେ ପିଟି ହୋଇ ପାଣିରେ ପଡ଼ିଯିବ ।

 

ଅଜୟକୁମାର ଘୋଡ଼ାମୁଣ୍ଡିଆ ଅସୁରର ବିଜୟ ଘୋଡ଼ାରେ ବସି ଚାଲିଥାଏ । ସେମାନେ ଯେମିତି ଆସି କାଉଁରୀ ରାଇଜ ପାଖରେ ପହଞ୍ଚଛନ୍ତି, ଘୋଡ଼ା କହିଲା–‘‘ହଠାତ୍ କାଉଁରୀ ରାଇଜ ଭିତରକୁ ପଶିଯିବା ଉଚିତ ନୁହେଁ । ସେମିତି ଯିବାରେ ବିପଦ ରହିଛି । କେତେବେଳେ କ’ଣ ଯେ ଘଟିବ, ତା’ର କିଛି ଠିକ୍ ଠିକଣା ନାହିଁ । ଏ ହେଲା କାଉଁରୀ ରାଇଜ । ସାବଧାନ ହୋଇ ନ ଗଲେ ହୁଏତ କେତେବେଳେ ଯେ କ’ଣ ହେବ, ତା’ର କିଛି ଆଦି ଅନ୍ତ ନାହିଁ । ତା’ପରେ ଏଠି କାଉଁରୀ କାମଚଣ୍ଡୀଙ୍କ ଆଜ୍ଞାରେ ଦେଶ ଚଳୁଛି । ମୁଁ ଘୋଡ଼ା ହେଲେ କ’ଣ ହେବ, ଜାତିରେ ଅସୁର । ଆମେ ସବୁଜାଗାକୁ ଯାଇପାରିବୁ, ହେଲେ କାଉଁରୀ ରାଇଜ ଭିତରକୁ ଯିବାପାଇଁ ଆମକୁ ମନା ଅଛି; ଗଲେ ଛାତି ଫାଟିଯିବ । ତେଣୁ ଏଠି ଦିନେ ଅଧେ ରହି ଆଗକୁ ଯିବା ଭଲ ।

 

ଅଜୟକୁମାର ଘୋଡ଼ାକୁ ନେଇ ସେଇ ବଣରେ ରହିଲା । ଦୁଇଦିନ ପରେ ପୁଣି ଘୋଡ଼ା କହିଲା–‘‘ଏଥର ତୁମେ ଯାଇପାର । ଚାଲ, ମୁଁ ତୁମକୁ ନେଇ ସେ ରାଇଜ ସୀମାରେ ପହଞ୍ଚାଇ ଦେଇ ଆସିବି । ତୁମେ ଫେରିବାଯାକେ ମୁଁ ତୁମକୁ ଏଇଠି ଅପେକ୍ଷା କରି ରହିଥିବି ।’’

 

ଦୁହେଁ ସାଙ୍ଗହୋଇ ଚାଲିଲେ । ଅଜୟକୁମାରକୁ କିଛି ଜଣାଯାଉ ନ ଥାଏ । କିନ୍ତୁ ଘୋଡ଼ାଟି ମାୟାବଳରେ ସବୁକଥା ଜାଣିପାରି କହିଲା–‘‘ବଡ଼ ବିପଦ ଆସି ହାବୁଡ଼ି ଗଲା ତୁମ ଆଗରେ । ଏଇ ଯେଉଁ ମେଘଖଣ୍ଡ ସବୁ ଭାସିବୁଲୁଛି, ତା’ ଭିତରେ ଖୁବ୍ ବଡ଼ ବଡ଼ ପର୍ବତ ଲୁଚିରହିଛି । ମୁଁ ଏ ବାଟେ ବହୁତଥର ଯିବାଆସିବା କରିଛି, କିନ୍ତୁ ଏମିତି ପାହାଡ଼ କେବେ ଦେଖିନି । ବୋଧହୁଏ, ଏ ସବୁ ମାୟାରେ ହୋଇଛି । ଆଚ୍ଛା, ତୁମେ ଏଠି କାଉଁରୀ କାମଚଣ୍ଡୀଙ୍କୁ ପୂଜାକରି ଖୁସିକର; ତା’ପରେ ଯାହା ହେବ ଦେଖାଯିବ ।’’

 

ଅଜୟକୁମାର ସେ ଦିନ କାଉଁରୀ କାମଚଣ୍ଡୀଙ୍କୁ ପୂଜାକରି ଅଧିଆ ପଡ଼ିଲା । ସାତ ଦିନ ସାତ ରାତି ପରେ କାଉଁରୀ କାମଚଣ୍ଡୀ ସପନରେ ଅଜୟକୁମାରକୁ ଦେଖାଦେଇ କହିଲେ–‘‘ବାବା ଅଜୟକୁମାର, ଏଥର ତୁ ସହଜରେ ଏ ରାଇଜକୁ ପଶିପାରିବୁ । ଯେଉଁ ବିଜୟ ଘୋଡ଼ା ତୋ ପାଖରେ ଅଛି, ତୁ ତା’ ଉପରେ ବସିବା ଦିନରୁ ତା’ର କାୟା ପବିତ୍ର ହୋଇଛି । ସେ ତୋତେ କାଉଁରୀ ରାଇଜରେ ପହଞ୍ଚାଇ ଦେଇପାରିବ । ସତ୍ୟବ୍ରତ ରାଜାର ପୁଅ ତୁ । ତୋ ବାପର ଧର୍ମବଳରୁ ତୋ ଆଗ ଗୋଡ଼ରେ କଣ୍ଟା ବାଜିବନି । ମୁଁ ତୋତେ ଘଣ୍ଟ ଘୋଡ଼ାଇ ସହାୟ ହୋଇଥିବି-।’’

 

ଅଜୟକୁମାରର ନିଦ ଭାଙ୍ଗିଗଲା । ସେ ନିଦରୁ ଉଠି ଘୋଡ଼ାକୁ ସପନ କଥା କହିଲା । ଘୋଡ଼ା ଖୁସିହୋଇ କହିଲା–‘‘ତେବେ ତୁମ ଯୋଗୁ ମୁଁ ମଧ୍ୟ କାଉଁରୀ ଦେଶ ଦେଖିପାରିବି । ବେଶ୍ ଭଲ ହେଲା । ଆମେ କାଲି ସକାଳୁ ବାହାରିବା ।’’ ଅଜୟକୁମାର ମା’ କାଉଁରୀ କାମଚଣ୍ଡୀଙ୍କୁ ଜୁହାର ହୋଇ ପୁଣି ଶୋଇଲା ।

 

ସକାଳୁ ଅଜୟକୁମାରକୁ ଘେନି ଘୋଡ଼ାଟି କାଉଁରୀ ରାଇଜକୁ ବାହାରିଲା । ଆଗରୁ ସେ ପାହାଡ଼ କଥା ଜାଣିଥିଲା; ସେଥିପାଇଁ ସେ ଖୁବ୍ ଉପରକୁ ଉଠିଯାଇ କାଉଁରୀ ପାହାଡ଼କୁ ଡେଇଁ ଚାଲିଗଲା । ଏଥର ଉପରୁ କାଉଁରୀ ରଜାର ନଅର ଦେଖାଯାଉଥାଏ । ଘୋଡ଼ାଟି ଅଜୟକୁମାରକୁ ସବୁ ଦେଖାଇ ଦେଉଥାଏ । ଶେଷରେ ସେମାନେ ଉପରେ ବହୁତ ସମୟ ବୁଲି ବୁଲି ମୁହଁସଞ୍ଜ ବେଳକୁ ତଳକୁ ଓହ୍ଲାଇଲେ । ଘୋଡ଼ାଟି ତଳକୁ ଆସି କହିଲା–‘‘ଦେଖ, ଏଇଠି ଗୋଟାଏ ଘର ଦେଖାଯାଉଛି । ତୁମେ ସେଇ ଘର ପାଖକୁ ଯାଅ । ମୁଁ ମଧ୍ୟ ରୂପ ବଦଳାଇ ତୁମ ସଙ୍ଗେ ସଙ୍ଗେ ଯିବି ।’’

 

ଏହିପରି କହି ଘୋଡ଼ାଟି ଗୋଟିଏ ଚଢ଼େଇ ରୂପ ଧରି ଉଡ଼ିଯାଇ ସେ ଘର ଚାଳ ଉପରେ ବସିରହିଲା । ଅଜୟକୁମାର ଦୁଆର ମୁହଁରେ ପହଞ୍ଚି ଯେମିତି ସେ ଦରଜାରେ ହାତ ମାରିଛି ସେମିତି ସେ ଦରଜାଟା ଖୋଲିଗଲା । ସେଇଟା ମାଲୁଣୀ ବୁଢ଼ୀର ଘର । ଘରେ ଦରଜା ଖୋଲିଯିବାରୁ ସେ ଚାହିଁ ଦେଖେ ତ ଦୁଆର ଆଗରେ ଦିବ୍ୟସୁନ୍ଦର ଯୁବକଟିଏ ଠିଆହୋଇ ରହିଛି ।

 

ସେ ଦରଜା ପାଖକୁ ଆସି ପଚାରିଲା–‘‘ତୁ ପୁଣି କେଉଁଠୁ ଆସିଛୁ । କାହିଁକି ଆସିଲୁ ଏଠିକୁ ?’’

 

ଅଜୟକୁମାର କହିଲା–‘‘ମାଉସୀ, ମୁଁ ଜଣେ ବିଦେଶୀ ଲୋକ । ଏ ରାଇଜ ବୁଲିବାକୁ ଆସିଥିଲି । ମୋତେ ଯଦି ତୋ ଘରେ ଦୁଇ ଚାରି ଦିନ ପାଇଁ ରହିବାକୁ ଜାଗା ଦିଅନ୍ତୁ, ତେବେ ମୁଁ ଏ ରାଇଜଟା ଟିକିଏ ବୁଲି ଦେଖିପାରନ୍ତି ।’’

 

ମାଲୁଣୀ ବୁଢ଼ୀ କହିଲା–‘‘ନାଇଁ ନାଇଁ, ସେକଥା ହୋଇ ପାରିବନି । ତୋ ଆଗରୁ ଜଣେ ଆସିଥିଲା । ସେ ଏଠି ଦୁଇଟା ଦିନ ରହିଛି କି ନାହିଁ, ରଜାଙ୍କ ବଡ଼ଝିଅକୁ ନେଇ ଚାଲିଗଲା । ରଜା ଏକଥା ଜାଣି ପାରିଲେନି; ନ ହେଲେ ମୋତେ ଶୂଳି ହୋଇଥାନ୍ତା । କେହି ବିଦେଶୀ ଲୋକ ଏ ରାଇଜକୁ ଆସିବେନି ବୋଲି ରଜାଙ୍କର ହୁକୁମ ଅଛି । ସେଥିରେ ତୁ ଯଦି ମୋ ଘରେ ରହିବୁ, ତେବେ କିଛି କୁଆଡ଼ୁ ହେଲେ, ମୋ ମୁଣ୍ଡକାଟ ହେବ । ତୁ ଆଉ କେଉଁଠି ରହିବା ଯୋଗାଡ଼ କର । ମୁଁ ସେଥିରେ ରାଜି ହେବିନି ।’’

 

ମାଲୁଣୀ ବୁଢ଼ୀ ରାଜି ନ ହେବାରୁ ଅଜୟକୁମାର ନିଜ ବେକରୁ ମଣିମାଳା ବାହାର କରି ମାଲୁଣୀକୁ ଦେଇ କହିଲା–‘‘ଏଇଟା ନେ, ପୁଣି ଯିବା ବେଳକୁ ଆହୁରି କିଛି ଦେବି ।’’ ଯେମିତି ସେଇଟା ବୁଢ଼ୀ ହାତରେ ପଡ଼ିଯାଇଛି ସେ ଖୁସିହୋଇ ଅଜୟକୁମାରକୁ ଘର ଭିତରକୁ ନେଇଗଲା ।

 

ଅଜୟକୁମାର ସେଇଠି ରହିଲା । ମାଲୁଣୀ ବୁଢ଼ୀ ବାହାରକୁ ଚାଲିଗଲେ ଘୋଡ଼ାଟି ଚଢ଼େଇ ରୂପ ଧରି ସେଇଠି ପହଞ୍ଚେ । ଦୁହେଁ କଥାବାର୍ତ୍ତା ହୁଅନ୍ତି । ପୁଣି ମାଲୁଣୀ ଆସିବାର ସୁରାକ ପାଇଲେ ଦୁହେଁ ସାବଧାନ ହୋଇଯାଆନ୍ତି । ଚଢ଼େଇ ଉପରକୁ ଉଡ଼ିଯାଏ । ଅଜୟକୁମାର ଫୁଲ ଗୁନ୍ଥି ବସେ । ଅଜୟକୁମାରର ଫୁଲଗୁନ୍ଥା ଦେଖି ମାଲୁଣୀ ଖୁସିହୁଏ । ଦିନେ ମାଲୁଣୀ ବାହାରକୁ ଯାଇଥାଏ; ଏତିକିବେଳେ ଚଢ଼େଇ ଆସି କହିଲା–‘‘ଆଉ ଡେରି କରନାହିଁ । ମୁଁ ଗୋଟାଏ ଫୁଲ ଆଣିଛି । ସେ ଫୁଲକୁ ତୁମେ ରଜାଝିଅ ଲବଙ୍ଗମଞ୍ଜରୀର ମାଳାରେ ଦେଇଦିଅ । ତା’ପରେ ଯାହାହେବ, ମୁଁ ସେ କଥା ବୁଝିବି ।’’

 

ଅଜୟକୁମାର ସେଇ ଫୁଲଟିକୁ ଲବଙ୍ଗମଞ୍ଜରୀ ପାଇଁ ଗୁନ୍ଥା ହୋଇଥିବା ମାଳା ଦେହରେ ଗୁନ୍ଥିଦେଲା । ମାଲୁଣୀ ବୁଢ଼ୀ ଏକଥା ଜାଣିପାରିଲା ନାହିଁ । ସେ ମାଳକୁ ସେଇପରି ନେଇ ଲବଙ୍ଗମଞ୍ଜରୀ ଘରେ ରଖିଦେଇ ଆସିଲା । ଏଣେ ଘୋଡ଼ାଟି ଚଢ଼େଇ ରୂପ ହୋଇ ଉଡ଼ି ଉଡ଼ି ଯାଇ ଗନ୍ଧର୍ବ ଦେଶରୁ ଚନ୍ଦ୍ରକାନ୍ତି ଫୁଲର ପରାଗ ଆଣି ଆସିଥାଏ । ସେ ସେଇପରି ଭାବରେ ଲବଙ୍ଗମଞ୍ଜରୀର ଘରକୁ ଉଡ଼ିଯାଇ ଯେଉଁ ଫୁଲଟିକୁ ସେ ମାଳରେ ଗୁନ୍ଥିବାକୁ ଦେଇଥିଲା, ସେଥିରେ ପରାଗତକ ବୋଳିଦେଇ ଆସିଲା ।

 

ଲବଙ୍ଗମଞ୍ଜରୀ ଗାଧୁଆ ପାଧୁଆ ସାରି ଫୁଲ ଚନ୍ଦନ ଘେନିବାପାଇଁ ଘରକୁ ପଶି ଆସିଲା ବେଳକୁ ଦେଖେ ତ କି ଗୋଟାଏ ଅଜଣା ବାସନାରେ ତା’ ଘର ମହକିଉଠୁଛି । ସେ ଚାରିଆଡ଼େ ଖୋଜିବୁଲିଲା; କିନ୍ତୁ ଏ ବାସନା କେଉଁଠୁ ଆସୁଛି କିଛି ବୁଝି ପାରିଲାନି । ଏମିତିକା ବାସନା ସେ କେବେ ବାରିନଥିଲା । ଏଥର ସେ ପାଗଳୀ ପରି ହୋଇ ମାଲୁଣୀକୁ ଡକାଇ ପଚାରିଲା–‘‘ତୁ ତ ମାଳୀଘର ଝିଅ, କହିଲୁ ଦେଖି, କେଉଁ ଫୁଲର ବାସନାରେ ଏ ଘର ଏମିତି ମହକି ଉଠୁଛି ?’’ ମାଲୁଣୀ କିଛି କହି ପାରିଲାନି ।

 

ଏତିକିବେଳେ ଲବଙ୍ଗମଞ୍ଜରୀର ପାଞ୍ଚ ଭଉଣୀଯାକ ସେଠି ପହଞ୍ଚି କହିଲେ–‘‘ଏମିତି ଗୋଟାଏ କଅଣ ବାସୁଛି ?’’ ସେମାନେ ଘର ଦ୍ୱାର ସବୁ ଖୋଜି ଦରାଣ୍ଡି ଦେଖନ୍ତି ତ ମାଲୁଣୀ ବୁଢ଼ୀ ଲବଙ୍ଗମଞ୍ଜରୀ ପାଇଁ ଯେଉଁ ଫୁଳମାଳ ଦେଇଛି, ସେହି ମାଳରେ ଥିବା ଗୋଟିଏ ଫୁଲରୁ ଏପରି ମହକ ବାହାରୁଛି । ସେମାନେ ଟଣାଝିଙ୍କା କରି ମାଳରୁ ସେ ଫୁଲଟିକୁ ଛିଡ଼ାଇ ପକାଇଲେ । ଫୁଲରେ ଥିବା ପରାଗତକ ବିଞ୍ଚିହୋଇ ପବନରେ ଉଡ଼ିଗଲା । ଏଥର ନଅରଭିତରେ ସମସ୍ତେ କୁହାକୁହି ହେଲେ–‘‘ଏମିତି ନାହିଁ ନଥିବା ଫୁଲର ବାସନା କେଉଁଠୁ ଆସିଲା ?’’

 

ଫୁଲଟି ଛିଣ୍ଡିଯିବାରୁ ଲବଙ୍ଗମଞ୍ଜରୀ ଭଉଣୀମାନଙ୍କ ଉପରେ ଚିଡ଼ିଲା । ସେ ମାଲୁଣୀକୁ ଡକାଇ ପଠାଇ ପଚାରିଲା–‘‘ହଇଲୋ, ତୁ ଯେଉ ମାଳ ଆଜି ମୋ ପାଇଁ ଆଣିଥିଲୁ, ସେଥିରେ ଏମିତି କି ଫୁଲ ଗୋଟାଏ ଥିଲା ଯେ, ତା’ର ବାସନା ଚାରିଆଡ଼େ ମହକି ଉଠୁଥିଲା ? କାଲି ମୋ ପାଇଁ ସେହି ଫୁଲର ମାଳା ଆଣିବୁ ।’’

 

‘‘ମାଲୁଣୀ ହାତଯୋଡ଼ି କହିଲା, ‘‘ରାଜକୁମାରୀ, ମୁଁ ତ ସେମିତି ଫୁଲ କିଛି ଦେଇନି । ମୋ ବଗିଚାରେ ସେମିତିକା ଫୁଲ ବି ନାହିଁ । ତୁମକୁ କେଉଁଠୁ ଆଣିଦେବି ?’’

 

ଲବଙ୍ଗମଞ୍ଜରୀ ଭାବିଲା ଯେ, ମାଲୁଣୀ ବୋଧହୁଏ ତା’ ପାଖରେ ଏ କଥା ଲୁଚାଇବାକୁ ଚେଷ୍ଟା କରୁଛି । ସେଥିପାଇଁ ସେ ମାଲୁଣୀକୁ ଆଉ କିଛି ନ କହି ସଞ୍ଜବେଳକୁ ଲୁଚି ଲୁଚି ଯାଇ ତା’ ଘର ଖାନତଲାସ କରିବାକୁ ପହଞ୍ଜିଲା । ମାଲୁଣୀ ସେତେବେଳକୁ ଦିଅଁ ମନ୍ଦିରକୁ ଫୁଲ ଦବାକୁ ଯାଇଥାଏ । ଲବଙ୍ଗମଞ୍ଜରୀ ଯାଇ ଯେମିତି ମାଲୁଣୀର ଦରଜାରେ ହାତ ମାରିଦେଇଛି, ଦରଜା ଖୋଲିଗଲା । ସେ ଭିତରକୁ ପଶିଯାଇ ଦେଖେ ତ ଅପୂର୍ବସୁନ୍ଦର ରାଜକୁମାର ଜଣେ ଅଗଣାରେ ବସିଛନ୍ତି । ତାଙ୍କ କୋଳରେ ଗୋଟିଏ ସୁନ୍ଦର ଚଢ଼େଇ ବସିଛି ।

 

ଲବଙ୍ଗମଞ୍ଜରୀ ଅଜୟକୁମାରର ରୂପରେ ଭଳିଯାଇ ଏକଲୟରେ ତାକୁ ଚାହିଁ ରହିଥାଏ-। ଚଢ଼େଇଟି ନିଜଭାଷାରେ ଅଜୟକୁମାରକୁ ସବୁକଥା କହିଦେଲା । ଅଜୟକୁମାର କହିଲା–‘‘ରାଜକୁମାରୀ, ଆସ । ତୁମେ ଯେଉଁ ଜିନିଷ ଖୋଜିବାକୁ ଆସିଛ, ସେ ଜିନିଷ ଆମ ପାଖରେ ଅଛି । ମାଲୁଣୀ ପାଖରେ ନାହିଁ ।’’

 

ଲବଙ୍ଗମଞ୍ଜରୀ ଯେତେବେଳେ ଜାଣିଲା ଯେ ଯେଉଁ ଫୁଲ ପାଇଁ ସେ ପାଗଳ ହୋଇ ଧାଇଁଆସିଛି, ସେ ଫୁଲ ଏଇ ରାଜକୁମାର ପାଖରେ ଅଛି, ସେ ଧୀରେ ଧୀରେ ତା’ ପାଖକୁ ଆସି କହିଲା–‘‘ତୁମେ କିଏ ? ତୁମେ ଏଠିକୁ ଆସିଛ କାହିଁକି ? ଏକଥା ଯଦି ମୋର ବାପା ଜାଣିପାରିବେ, ତେବେ ତୁମକୁ ମାରି ପକାଇବେ ।’’

 

ଅଜୟକୁମାର କହିଲା–‘‘ମୁଁ ହେଉଛି ସତ୍ୟପୁରର ରାଜା ସତ୍ୟବ୍ରତଙ୍କର ପୁଅ ଅଜୟକୁମାର । କାଉଁରୀ ମୁଦି ନେବା ପାଇଁ ମୁଁ ଏ ଦେଶକୁ ଆସିଛି । ମୋତେ ଯଦି ତୁମେ କାଉଁରୀ ମୁଦି ଦେବ, ତେବେ ମୁଁ ତୁମକୁ ସେଇ ଫୁଲର ଗୋଟିଏ ଗଛ ଆଣିଦେବି ।’’

 

ଲବଙ୍ଗମଞ୍ଜରୀ ଜିଭ କାମୁଡ଼ିପକାଇ କହିଲା–‘‘ସେ କଥା କହିଲେ ତୁମର ପ୍ରାଣ ରହିବନି-। ଆଜିକାଲି ଭଣ୍ଡାର ଘରେ ବଡ଼ କଡ଼ା ପହରା ରଖାହୋଇଛି । କାଉଁରୀ ଦର୍ପଣ ଆଉ ମୋର ବଡ଼ ଭଉଣୀ ବସନ୍ତମଞ୍ଜରୀ ଦୁହେଁ ଏ ଦେଶରୁ ଚାଲିଯିବା ପରେ ଆମକୁ ବି ଭଣ୍ଡାର ଘରକୁ ଯିବାକୁ ବାରଣ କରାହୋଇଛି । କାଉଁରୀ ମୁଦି ପାଇବା କଥା ମନରୁ ପାସୋରିଦିଅ । କେବଳ ଜୀବନ ଘେନି ଏଠୁ ପଳାଇ ଯାଅ ।’’ ଏତିକି କହିବା ପରେ ଲବଙ୍ଗମଞ୍ଜରୀ ପଳାଇଗଲା ।

 

ତହୁଁ ପରଦିନ ଘୋଡ଼ାଟି ଚଢ଼େଇ ରୂପ ଧରି ଠିକ୍ ସେଇପରି ଫୁଲଟିଏ ଆଣି ସଜାଡ଼ି ରଖିଲା । ସଞ୍ଜ ହେଲା । ଠିକ୍ ବେଳ ଉଣ୍ଡି ଲବଙ୍ଗମଞ୍ଜରୀ ଆସି ମାଲୁଣୀ ଘରେ ପହଞ୍ଚିଗଲା । ଅଜୟକୁମାର ମଧ୍ୟ ସେତିକିବେଳକୁ ସେହି ଫୁଲଟି ଧରି ବସିଥାଏ । ଫୁଲଟିକୁ ଦେଖି ଲବଙ୍ଗମଞ୍ଜରୀ ଅଜୟକୁମାର ପାଖକୁ ଧାଇଁଆସିଲା ଓ ସେଟିକୁ ଛଡ଼ାଇ ନେବାକୁ ବସିଲା । ଅଜୟକୁମାର କିନ୍ତୁ ତାକୁ ସେ ଫୁଲ ନ ଦେଇ କହିଲା–‘‘ତୁମେ ସେଇ ମୁଦିର ଠିକଣା ନ କହିଲେ ମୁଁ ତୁମକୁ ଏ ଫୁଲ ଦେବି ନାହିଁ ।’’

 

ଏଥର ଠିକ୍ ବାଗ ପଟିଲା । ଫୁଲଟି ନେବାପାଇଁ ଲବଙ୍ଗମଞ୍ଜରୀ ଏତେ ବ୍ୟସ୍ତ ହୋଇପଡ଼ିଥିଲା ଯେ, ସେ ସବୁକଥା କହିବାକୁ ରାଜି ହେଲା । ଲବଙ୍ଗମଞ୍ଜରୀ କହିଲା–‘‘କାଉଁରୀ ମୁଦି ଗୋଟାଏ ଆଶ୍ଚର୍ଯ୍ୟ ରକମର ମୁଦି । ତାକୁ ହାତରେ ପିନ୍ଧିଥିଲେ, ଭୋକ ଶୋଷ ଜଣାହୁଏନି । କୌଣସି ରକମର ଅସ୍ତ୍ର ଶସ୍ତ୍ର ଦେହରେ ଭେଦିପାରେନି । ସେ ମୁଦି ଭଣ୍ଡାରରେ ରହିଛି । ପୁଣି ବହୁତ ଟାଣୁଆ ଟାଣୁଆ ଲୋକ, ଗୁଣି ଗାରେଡ଼ି ଜାଣିବା ଲୋକ ସେ ଭଣ୍ଡାରକୁ ଜଗିରହିଛନ୍ତି । ମାଛିଟାଏ ହେଲେ ବି ସେ ଘରକୁ ଯାଇପାରିବା ସମ୍ଭବ ନୁହେଁ । ତୁମେ ଯିବ କିପରି ? ଆଚ୍ଛା, ମୁଁ ଗୋଟାଏ ଉପାୟ କହିବି, ଯଦି ସେପରି କରିପାରିବ, ତେବେ ତୁମେ ସେ ମୁଦି ପାଇବ । କାଲି ତିଥିରେ ଆମ ରାଇଜରେ ଜଳଦେବତାଙ୍କୁ ପୂଜା କରାହେବ । ସମସ୍ତେ ସେଥିରେ ଯୋଗଦେବେ । ଯେତେବେଳେ ସମସ୍ତେ ନଦୀକୂଳକୁ ଯାଇ ଜଳଦେବତାଙ୍କୁ ପୂଜା କରିବେ, ତୁମେ ସେତିକିବେଳେ କୌଶଳକରି ଯଦି ସେ ମୁଦିକୁ ଆଣିପାରିବ, ତେବେ ସବୁକାମ ହୋଇପାରିବ । ନ ହେଲେ ନାହିଁ ।’’

 

ତହିଁ ପରଦିନ ଠିକ୍ ବେଳକୁ ଶଙ୍ଖ ବାଜିଲା । ରାଇଜସାରା ଲୋକେ ଜଳଦେବତାଙ୍କୁ ପୂଜା କରିବାକୁ ବାହାରିଲେ । ମାଲୁଣୀ ବୁଢ଼ୀ ବି ବହାରିଗଲା । ରାଜା ପୁଷ୍ପକେତୁ ରାଣୀଙ୍କୁ ସାଙ୍ଗରେ ଧରି ଜଳଦେବତାଙ୍କୁ ପୂଜିବାକୁ ବାହାରିଲେ । ଲବଙ୍ଗମଞ୍ଜରୀ ଦେହ ଭଲ ଲାଗୁନି ବୋଲି କହି ଘରେ ଶୋଇରହିଲା । ରାଜା ରାଣୀ ପାଞ୍ଚ ଝିଅଙ୍କୁ ସଙ୍ଗରେ ଘେନି ବାହାରିଗଲେ ।

 

ଏହି ସୁଯୋଗରେ ଅଜୟକୁମାର ବିଜୟ ଘୋଡ଼ାରେ ବସି ଭଣ୍ଡାର ଆଗରେ ପହଞ୍ଜିଗଲା । ଘୋଡ଼ା ଯେମିତି ପହଞ୍ଚିଯାଇଛି, ଲବଙ୍ଗମଞ୍ଜରୀ ଆସି ପହଞ୍ଜିଗଲା । ଅଜୟକୁମାର ଓ ଲବଙ୍ଗମଞ୍ଜରୀ ଦୁହେଁ ଭଣ୍ଡାର ଘରେ ପଶି କାଉଁରୀ ମୁଦି ଧରି ବାହାରିଆସିଲେ ।

 

ବିଜୟ ଘୋଡ଼ା ସେଇଠି ଅପେକ୍ଷା କରି ରହିଥାଏ । ଅଜୟକୁମାର ଲବଙ୍ଗମଞ୍ଜରୀକୁ ଘେନି ସେଇ ଘୋଡ଼ା ଉପରେ ବସି କହିଲା‘‘–ଆମକୁ ସତ୍ୟପୁର ରାଇଜରେ ପହଞ୍ଚାଇଦିଅ ।’’ ଆଜ୍ଞା ପାଇବାମାତ୍ରେ ଘୋଡ଼ା ସାଇଁ ସାଇଁ ହୋଇ ଉପରକୁ ଉଠି ପୂର୍ବଆଡ଼କୁ ମୁହଁକରି ଉଡ଼ିଗଲା ।

 

–ଚାରି–

 

ତିନିମୁଣ୍ଡିଆ ଅସୁର କେମିତି ଭାବରେ କାଉଁରୀ ରାଇଜକୁ ଜଗିଥାଏ, ସେ କଥା ତୁମେ ଆଗରୁ ଜାଣିଛ ।

 

ଅଜୟକୁମାର ଲବଙ୍ଗମଞ୍ଜରୀକୁ ଘେନି ଉପରେ ଉଡ଼ି ଯାଉଥାଏ । ଯେମିତି ତା’ର ଛାଇ ତିନିମୁଣ୍ଡିଆ ଅସୁର ଆଗରେ ପଡ଼ିଯାଇଛି, ସେ ସାଙ୍ଗେ ସାଙ୍ଗେ ଅଣ୍ଟାରୁ ଖଡ଼ିଗୋଟାଳୀ କାଢ଼ି ତଳେ ଗାରଟିଏ କାଟିଦେଲା । ଚାହୁଁ ଚାହୁଁ ପ୍ରକାଣ୍ଡ ଅସୁରଟାଏ ବାହାରି ପଡ଼ି କହିଲା–‘‘ମୋତେ କାହିଁକି ଡାକିଲୁ ?’’

 

ତିନିମୁଣ୍ଡିଆ ଅସୁର କହିଲା–‘‘ଉପରେ ଉଡ଼ି ଯାଉଛି କିଏ ? ତାକୁ ତଳକୁ ଘେନିଆ’ ।’’

 

ସେ ବିକଟାଳ ଅସୁର କହିଲା–‘‘ଏ ହେଉଛି ସତ୍ୟପୁର ରାଜା ସତ୍ୟବ୍ରତର ଆଉ ଗୋଟିଏ ପୁଅ । କାଉଁରୀ ମୁଦି ଓ କାଉଁରୀ ରଜାର ଝିଅ ଲବଙ୍ଗମଞ୍ଜରୀକୁ ଘେନି ସେ ସତ୍ୟପୁରକୁ ଯାଉଛି । ପୁଣି ଏ ଘୋଡ଼ା ବି ସାଧାରଣ ଘୋଡ଼ା ନୁହେଁ । ଏ ହେଉଛି ତୋର ସାନଭାଇ ଘୋଡ଼ାମୁଣ୍ଡିଆର ବିଜୟଘୋଡ଼ା । ଏ ଟୋକା ତୋର ସାନଭାଇ ପରି ବଳୁଆ ଲୋକକୁ ମାରି ତା’ର ଘୋଡ଼ାକୁ ନେଇଯାଇଛି । ଏମିତିଆ ଲୋକକୁ ଧରିବାକୁ ଚେଷ୍ଟାକଲେ ତୁ ନିଜେ ମରିବୁ । ମୋର ତାକୁ ଧରିବାକୁ ବଳ ନାହି ।’’

 

ଏକଥା ଶୁଣି ତିନିମୁଣ୍ଡିଆ ଅସୁର ରାଗରେ ତଳେ ତିନିଟା ଗାର କାଟିଦେଇ ଯେମିତି ହାତ ଦେଖାଇଦେଇଛି, ସେମିତି ବିଜୟ ଘୋଡ଼ାର ଗତି ବନ୍ଦ ହୋଇଗଲା । ସେ ତଳକୁ ଖସିବାକୁ ଆରମ୍ଭ କଲା । ଘୋଡ଼ା ତଳେ ନ ପହଞ୍ଚୁଣୁ ଅଜୟକୁମାରକୁ କହିଲା–‘‘ବଡ଼ ଖରାପ କଥାଟାଏ ହେଲା । ୟା ଆଗରେ କିଛି ଉପାୟ କାଟୁ କରିବନି । ଆଚ୍ଛା ହଉ, ମୁଁ ସେ କଥା ବୁଝିବି । ତୁମେ ଦୁହେଁ ତାକୁ ଧରାଦିଅ; ତା’ ସାଙ୍ଗରେ ଗୋଳମାଳ କରନା । ଯେଉଁ ଘୋଡ଼ାମୁଣ୍ଡିଆ ଅସୁରକୁ ତୁମେ ମାରିଥିଲ, ଏ ହେଉଛି ତା’ରି ଭାଇ ତିନିମୁଣ୍ଡିଆ ଅସୁର ।’’

 

ତିନିମୁଣ୍ଡିଆ ଅସୁରର ନାଁ ଶୁଣି ଲବଙ୍ଗମଞ୍ଜରୀ ମୂର୍ଚ୍ଛା ହୋଇଗଲା । ଏତିକିବେଳେ ସେମାନେ ତଳେ ପହଞ୍ଚିଗଲେ । ତିନିମୁଣ୍ଡିଆ ଅସୁର ସେମାନଙ୍କୁ ଧରିନେଇ, ବିଜୟ ଘୋଡ଼ା ଉପରେ ଯେମିତି ବସିବାକୁ ବାହାରିଛି ଘୋଡ଼ା କହିଲା–‘‘ମୁଁ ତୋ କାମ କରିପାରିବିନି । ମୋତେ ମୋର ମାଲିକ ଛଡ଼ା ଆଉ କେହି ରଖିପାରିବେନି । ମୁଁ ତୋତେ ଡରିନି । ମୋର ମାଲିକକୁ ତୁ ବନ୍ଦୀ କଲୁ, ମୁଁ ବି ବନ୍ଦୀ ହେଲି; ଚାଲ ।’’

 

ତିନିମୁଣ୍ଡିଆ ଏ ଦୁଇଜଣଙ୍କୁ କାଖରେ ଜାକିଦେଇ ଉଡ଼ି ଉଡ଼ି ମାୟା ପର୍ବତରେ ପହଞ୍ଚିଲା-। ଘୋଡ଼ାଟି ଅସୁର ପଛେ ପଛେ ଉଡ଼ି ଉଡ଼ି ଆସୁଥାଏ । ତିନିମୁଣ୍ଡିଆ ମାୟା ପର୍ବତରେ ପହଞ୍ଚି ଅଜୟକୁମାରଠାରୁ କାଉଁରୀ ମୁଦି ଛଡ଼ାଇ ନେଇ ତାକୁ ଓ ଲବଙ୍ଗମଞ୍ଜରୀକୁ ଗୋଟାଏ ଅଲଗା ଘରେ ଘୋଡ଼ାଟି ସାଙ୍ଗରେ ବନ୍ଦୀକରି ରଖିଲା । ତା’ପରେ ସେ ପୁଣି କାଉଁରୀ ରାଇଜ ସୀମାକୁ ଫେରିଆସିଲା । ତା’ର ପୁଅ ନାତିମାନେ ସେ ଘରକୁ ଜଗିରହିଲେ ।

Image